ଏକ ପ୍ରବାସୀ ଓଡ଼ିଆର ସ୍ଵପ୍ନ
ଲେଖକ: ପରମବୀର ଚକ୍ର, ସାମାଜିକ ବିଜ୍ଞାନ ଶିକ୍ଷକ , ଆଭେତି ଲର୍ଣ୍ଣିଂ
ଗାଁ ଓ ସହରଠାରୁ ମାଇଲ ମାଇଲ ଦୁରତାରେ ସୁରକ୍ଷିତ ଥାଏ ସ୍ଵପ୍ନର ରାଜଉଆସ । ସ୍ଵପ୍ନ; ଜୀବନଟେ ଜିଇଁବାର କୌଶଳ । ସ୍ଵପ୍ନ; ପାଦକୁ ଦି’ହଳ ଡେଣା । ସ୍ଵପ୍ନ; ଅସ୍ତିତ୍ୱର ନିଟୋଳ ଆଖିପତା । ସ୍ଵପ୍ନ କେବଳ ଆଖିର ଓ ସେ ଆଖି କାହାର ବି ହେଇପାରେ । ବୋଉର ସ୍ଵପ୍ନ, ବାପାଙ୍କର ସ୍ଵପ୍ନ, ପଣ୍ଡିତର ସ୍ଵପ୍ନ, ମୁର୍ଖର ସ୍ଵପ୍ନ, ଚକ୍ଷୁଷ୍ମାନର ସ୍ଵପ୍ନ, ଅନ୍ଧର ସ୍ଵପ୍ନ । ସ୍ଵପ୍ନ କେବଳ ସ୍ଵପ୍ନ !
ଏମିତି ଏକ ସ୍ଵପ୍ନର ଆୟୁଷ ହେଉଛନ୍ତି ସୁଲଳିତା ସାହୁ । ସୁଲଳିତା ଦଶମ ଶ୍ରେଣୀର ମେଧାବୀ ଛାତ୍ରୀ । ନବମ ଶ୍ରେଣୀରେ ଉଚ୍ଚମାନର ନମ୍ବର୍ ରଖି ପାସ କରିଥିବା ସୁଲଳିତା ସାହୁ ଉଚ୍ଚବାଲି ଗ୍ରାମରେ, ଗୋଟିଏ ଚାଷୀ ପରିବାରରେ ଜନ୍ମ ଓ ପାଳିତ । ବାପାଙ୍କ ଚାଷଜମିରେ କଟୁଥିବା ସମୟର ପ୍ରତିମୂଲ୍ୟ ଦେବାକୁ ଯାଇ ସୁଲଳିତା ଦାୟିତ୍ବ ନେଇଛନ୍ତି ପଢ଼ାବହିର ଓ ପଢ଼ାବହିରେ ନିବୁଜ ଥିବା ସ୍ଵପ୍ନ ସବୁର । ଆହାଃ କେତେ ମଧୁର ସେ ସ୍ଵପ୍ନ ସବୁ ! ସ୍ଵପ୍ନ ନୁହେଁ ତ, କୁନି କୁନି ଆଖିରେ ପ୍ରତିଶୃତିର ବାଲିଘର !
ସ୍ଵପ୍ନ ସତରେ ଏକ ସଂକ୍ରାମକ ରୋଗ । କାରଣ ସୁଲଳିତାର ସ୍ଵପ୍ନ ପରି ଏକ ସ୍ଵପ୍ନ ଦେଖନ୍ତି ସୁଦାମ ସାହୁ । ସମ୍ପ୍ରତି, ରାଜ୍ୟ ଓ ଦେଶଠୁ ବହୁ ଦୂରରେ, ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ସୁଦାମଙ୍କର ଜନ୍ମ ମଧ୍ୟ ସଂଯୋଗବଶତଃ ସେହି ଉଚ୍ଚବାଲି ଗ୍ରାମରେ । ରାଉରକେଲାରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ସୁଦାମ ଚାଲିଯାନ୍ତି ଆମେରିକା ନିଜ ବୃତ୍ତି ଓ ଉଦ୍ଦେଶ୍ୟ ନେଇ । କିନ୍ତୁ ସୁଦାମ କେତେବାଟ ଯାଆନ୍ତି ? କେଉଁ ଠିକଣାରେ ଅଟକନ୍ତି ସେ ? ଜୀବିକା ଓ ବୃତ୍ତି ଅନ୍ୱେଷଣରେ ବହୁଦୂର ଧାଇଁଆସିବା ପରେ ସୁଦାମ ଝୁଣ୍ଟନ୍ତି ଏଇ ସ୍ଵପ୍ନର ଏରୁଣ୍ଡି ବନ୍ଧ ପାଖରେ । ନିଜ ଭିଟାମାଟିର ଜଳଛବି ତାଙ୍କ ଆଖିରେ ନାଚିଉଠେ ସବୁରାତି, ସବୁଓଳି । ନିଜ ଗାଁ’ର ଏବଂ ସର୍ବୋପରି ନିଜ ଦେଶର ଉନ୍ନତି ପାଇଁ ବ୍ୟାକୁଳ ହୋଇଉଠେ ତାଙ୍କ ମନ । ଛାଡିଆସିଥିବା ସେ ଗାଁ’ର, ଭବିଷ୍ୟତ ସୁଧାରୁଥିବା ଆଗାମୀ ପିଢ଼ିଙ୍କର କିପରି ଓ କେଉଁ କ୍ଷେତ୍ରରେ ଉନ୍ନତି ହୋଇପାରିବ, କିପରି ସମସ୍ତେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ, କିପରି ତାଙ୍କପରି ଅନ୍ୟମାନେ ମଧ୍ୟ ଆମେରିକା ପରି ଦେଶର ଦୂରତା ମାପିପାରିବେ — ଏ ସ୍ଵପ୍ନ ଓ ଅଭିଳାଷ ସବୁରେ ବେଳୁବେଳ ଅନ୍ୟମନସ୍କ ହୋଇଉଠନ୍ତି ସୁଦାମ ।
ସୁଦାମ କର୍ମନିଷ୍ଠ, ତେଣୁ ଭାବପ୍ରବଣତା ଛାଡି, ନିଜର କେତେକ ପ୍ରବାସୀ ଓଡ଼ିଆ ବନ୍ଧୁମାନଙ୍କୁ ନେଇ ସେ ଗଢନ୍ତି ‘ଇଣ୍ଡୋ-ଆମେରିକାନ ସେବକ ଫଣ୍ଡ-IASF’ । ଅର୍ଥାତ, ସୁଦାମ ସାହୁ -’ଫ୍ରମ୍ ଉଚ୍ଚବାଲି ଟୁ ଆମେରିକା’, ଏତିକି ବୁଝନ୍ତି ଯେ ତାଙ୍କ ଅନ୍ୟମନସ୍କତା ଓ ଗଭୀର ଚିନ୍ତାର ସମାଧାନ ବସ୍ତୁତଃ ଗୋଟିଏ ହୋଇପାରେ — ଶିକ୍ଷା…. । ସୁତରାଂ ବିଦ୍ୟାଳୟ ବସେ, ଆଖପାଖ ଗାଁ’ରୁ ପିଲାଏ ଆସନ୍ତି, ଶିକ୍ଷକବୃନ୍ଦ ଆନନ୍ଦରେ ଶିକ୍ଷାଦାନ କରନ୍ତି ।
କିନ୍ତୁ ସୁଦାମ ବାବୁ ତଥାପି ଅନ୍ୟମନସ୍କ ରୁହନ୍ତି । ଏ ଅନ୍ୟମନସ୍କତା ସେ ଉପଲବ୍ଧି କରନ୍ତି ବାସ୍ତବତାକୁ ଭେଟିଲା ପରେ । କେବଳ ପୁଞ୍ଜି ଓ ଭିତ୍ତିଭୂମି ହିଁ ଯଥେଷ୍ଟ ଓ ଚିରସ୍ଥାୟୀ ନୁହେଁ । ସୁଦାମ ଅନୁଭବ କରନ୍ତି ଯେ ପିଲାଙ୍କର ବୌଦ୍ଧିକ ଓ ସର୍ବଧର୍ମୀ ବିକାଶ ହୋଇପାରୁନାହିଁ । ବିଦ୍ୟାଳୟ ସବୁ ଜାଗାରେ ହୁଏତ ଅଛି, ପିଲା ହୁଏତ ଶାଗ ତିଅଣ ଖାଇ ସ୍କୁଲ ଆସୁଛନ୍ତି, ମାଷ୍ଟ୍ରେ ମୌଖିକ-ଲିଖିତ ଶିକ୍ଷାଦାନ କରୁଛନ୍ତି । କିନ୍ତୁ ଏସବୁ ସାଧାରଣ ବିବର୍ତ୍ତନକୁ ଛାଡିଦେଲେ ଅନ୍ୟ କିଛି ଘଟୁନାହିଁ । ଏମିତି ପାରମ୍ପରିକତାକୁ ନେଇ ସେ ଅନ୍ତତଃ ନିଜ ଗାଁ’କୁ ପୃଥିବୀ ମାନଚିତ୍ରରେ ଏକ ଉଜ୍ଜ୍ୱଳ ଠିକଣା କରିପାରିବେ ନାହିଁ ।
ଏମିତି ଓଲଟି ଚାଲେ ପୃଷ୍ଠା ପରେ ପୃଷ୍ଠା ! ଦୀର୍ଘ ବାର ବର୍ଷର ମିଆଦ ପରେ ସୁଦାମ ଭେଟନ୍ତି ଆଲୋକର ଏକ ପ୍ରତିବିମ୍ବକୁ, ଯାହାର ନାମ ହେଉଛି — ‘ଆଭେତି ଲର୍ଣ୍ଣିଂ’ । ପିଲାଙ୍କ ମନସ୍ତତ୍ବକୁ ଖାପ ଖୁଆଇ, ପୁସ୍ତକଗତ ଓ ଅନ୍ୟ ଶିକ୍ଷାକୁ ଟେକ୍ନୋଲୋଜି ମାଧ୍ୟମରେ ମନୋରଞ୍ଜନଧର୍ମୀ କରାଇପାରିବାର ଏକ ପ୍ଲାଟଫର୍ମ ହେଉଛି ଆଭେତି ଲର୍ଣ୍ଣିଂ । ଆଭେତି ପରିବାରକୁ ଏଇ ହୃଦବୋଧ ହେଲା ଯେ ଅକ୍ଷରକୁ ଭୁଲିଯାଉଥିବା ପିଲାଟି ପକ୍ଷରେ ହୁଏତ ଚିତ୍ର ଓ ଦୃଶ୍ୟ ମନେରଖିବା ସହଜ ହେବ । ହ୍ରିତ୍ବିକ୍ ରୋଶନକୁ ଆକବର ଭାବୁଥିବା ପିଲାଟି ବୋଧହୁଏ ଆକବରଙ୍କ ତୈଳଚିତ୍ର ଦେଖିଲେ ଉତ୍ସାହିତ ହୋଇପଡିବ । ଶେଷ ପରୀକ୍ଷା ପୂର୍ବରୁ ପ୍ରଶ୍ନୋତ୍ତରୀ ଖେଳ ଖେଳୁ ଖେଳୁ ହୁଏତ ସେ ପରୀକ୍ଷା ଦେବାରେ ସିଦ୍ଧହସ୍ତ ହୋଇଯିବ ଅଥବା ଏକ୍ଜାମ-ଫୋବିଆରୁ ବାହାରି ଆସି ବାର୍ଷିକ ପରୀକ୍ଷାରେ ଦଶଟି ଶିଡ଼ି ଉପରକୁ ଉଠିଯିବ ! ଏହି ତତ୍ତ୍ଵକୁ ହୃଦୟଙ୍ଗମ କରି ଆଭେତି ଲର୍ଣ୍ଣିଂ ନେଇଛି ଓ ନେଉଛି ପଦକ୍ଷେପ । ସ୍ୱଳ୍ପ ମୂଲ୍ୟରେ, ଦାମୀ ଓ ଉନ୍ନତ ଟେକ୍ନୋଲୋଜି ସମ୍ପନ୍ନ ଟ୍ୟାବଲେଟ ଏବଂ ପ୍ରୋଜେକ୍ଟର ସହାୟତାରେ ଡିଜିଟାଲ ଜ୍ଞାନ ବାଣ୍ଟିଚାଲିଛି । ଡିଜିଟାଲ ଜ୍ଞାନ କହିଲେ, ପଢ଼ାବହିକୁ ଚିତ୍ର ଓ ଚମତ୍କାର ଦୃଶ୍ୟପଟରେ ବାନ୍ଧିପାରୁଥିବା ଭିଡ଼ିଓ କ୍ଲିପ, ଅଭ୍ୟାସଭିତ୍ତିକ ପ୍ରଶ୍ନୋତ୍ତରୀ ବିଭାଗ ଓ ମନେରଖିବା ନିମିତ୍ତ ସୁନ୍ଦର ପରିଚ୍ଛେଦ ସମୂହ ।
କିଶୋର(କିଶୋରୀ) ସୂଲଭ ଚପଳତା ପଢ଼ାବହିକୁ ପଢୁନାହିଁ ଏଥର, ବରଂ ଗପ ଶୁଣୁଛି ଓ ଆହୁରି ଆହୁରି ଜିଜ୍ଞାସୁ ହେଉଛି । ଏଥର ସ୍କୁଲ ପିଲାଟି ଜାଣୁଛି ଦିଲ୍ଲୀରୁ ଦୌଲତାବାଦ, କଟକରୁ ଭଦ୍ରକ, କଷୁଛି ଅଙ୍କ ମାନସାଙ୍କ । କାହାଣୀ କ୍ରମରେ ସ୍କୁଲ ହତାକୁ ପ୍ରବେଶ କରେ ଲାପଟପ, ପ୍ରୋଜେକ୍ଟର ଏବଂ ସର୍ବୋପରି ପୁରୁଣା ପାଠ୍ୟଖସଡ଼ାର ନୂଆ ଡିଜାଇନ — ଆଭେତି ଲର୍ଣ୍ଣିଂ । ପିଲାଏ ଯେ ଭିଡ଼ିଓ ଦ୍ୱାରା ପ୍ରସ୍ତୁତ ଡିଜିଟାଲ କ୍ଲାସରେ ବସନ୍ତି କେବଳ ସେକଥା ନୁହେଁ, ବରଂ ପ୍ରତି ଶବ୍ଦ ଓ ପ୍ରଶ୍ନରେ ଖଞ୍ଜାଯାଇଥିବା ଚିତ୍ର ଓ ବିନ୍ୟାସକୁ ତନ୍ନତନ୍ନ କରି ଦେଖନ୍ତି ଓ ମନେରଖନ୍ତି । ଏବେ ନିୟମିତ ଭାବରେ ହାଇସ୍କୁଲରେ ଆଭେତି ସ୍ମାର୍ଟକ୍ଳାସ ଚାଲୁରହିଛି ଯାହାର ସୁପ୍ରଭାବ ଦଶମ ଶ୍ରେଣୀ ଛାତ୍ରୀ ସୁଲଳିତା ଓ ପ୍ରଧାନଶିକ୍ଷକ ଗୌରାଙ୍ଗ ସାର ଏବଂ ସୁଦାମ ବାବୁଙ୍କ ଆଖିରୁ ସ୍ପଷ୍ଟ ବାରିହେଉଛି ।
ଏବେ ଫେରିବା ସୁଲଳିତାଙ୍କ ପାଖକୁ । ନିଜ ସ୍ବପ୍ନକୁ ହଳେ ଡେଣା ମିଳିଯାଇଥିବା ପରି ମନେ କରୁଥିବା ସୁଲଳିତାଙ୍କ ଆଖିରେ ଖୁସିର ଜୁଆର କୂଳ ଲଂଘୁଛି । ସେ କୁହନ୍ତି, ଅଳ୍ପ ସମୟ ଅବଧି ମଧ୍ୟରେ ପୁରା ବିଷୟକୁ ଚିତ୍ରପଟ ମାଧ୍ୟମରେ ପ୍ରକାଶ କରିବାର କଳା ନିଆରା ଓ ଅପୂର୍ବ । ଆଭେତି ଲର୍ଣ୍ଣିଂ ଦ୍ୱାରା ପ୍ରସ୍ତୁତ ଭିଡ଼ିଓ ଗୁଡିକର ଦୀର୍ଘତା ବିଷୟରେ ପ୍ରଶ୍ନର ଉତ୍ତରରେ କୁହନ୍ତି,” ଆମେମାନେ ଟେକ୍ନୋଲୋଜି ବାବଦକୁ ଅନେକ କିଛି ଜାଣୁ, ଭିଡ଼ିଓ ଦୀର୍ଘ ଅନୁଭୂତ ହେଲେ ଆମେମାନେ ଏହାକୁ ପଜ୍ କରି ବା ସ୍ଥଗିତ ରଖି ଉପାଦେୟ ତଥ୍ୟଗୁଡିକୁ ଟିପି ରଖିପାରିବୁ ବା ପରସ୍ପର ମଧ୍ୟରେ ପର୍ଯ୍ୟାଲୋଚନା କରିପାରିବୁ” ।
ଉଚ୍ଚବାଲି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମାନେ ହୁଏତ ପ୍ରଯୁକ୍ତିବିଦ୍ୟାରେ ସାମନ୍ୟ ପଛୁଆ ହୋଇପାରନ୍ତି ହେଲେ ଜାଣିବାର ଇଚ୍ଛା ଓ ବେଲଗାମ ଦୃତ ପାରିବାପାଣିଆ ପାଖରେ ଟେକ୍ନୋଲୋଜି ବା କେତେ ବାଟ ! ବିଦ୍ୟାଳୟର ସମସ୍ତ ସଦସ୍ୟ ଆଭେତି ଲର୍ଣ୍ଣିଂର ଏ ପଦକ୍ଷେପ ଓ ବିଶେଷ କରି ଅପହଞ୍ଚ ଏବଂ ଅଗମ୍ୟ ଇଲାକା ବା ରିମୋଟ ଲୋକେସନ(Remote Location)ରେ ପହଂଚିଯିବାର ସାହାସିକତାକୁ ସାଧୁବାଦ ଜଣାଇ ଖୁସିରେ ଗଦଗଦ ହୋଇଡୁଛନ୍ତି ।
ସବୁ ପାରିବାପଣିଆ ଓ ଉଚ୍ଚ ମାନସିକତାର ମୂଳରେ ଥାଏ ଟିକିଏ ଶିକ୍ଷା । ହୁଏତ ତାହାକୁ ମର୍ମେ ମର୍ମେ ଅନୁଭବିଛନ୍ତି ସୁଦାମ ସାହୁ । ଗାଁ ଗାଉଁଲି ସଭ୍ୟତାରେ ମଧ୍ୟ ରୋପିଛନ୍ତି ଆଶାର ଅଙ୍କୁରୋଦଗମ । କିନ୍ତୁ ଦୁଇ ତିନୋଟି କାନ୍ଧରେ ‘ଶିକ୍ଷା’ ପରି ଏକ ମହାର୍ଘ ଦାୟିତ୍ୱ କେତେ ଦୂର ଯାଇପାରିବ ! ଉଚ୍ଚବାଲି ସ୍କୁଲ କେବଳ ଗୋଟିଏ ସ୍କୁଲ ଏବଂ ସୁଲଳିତା ସାହୁ ଏକ ଉଦାହରଣ । କିନ୍ତୁ ଓଡ଼ିଶାର ପ୍ରତି କୋଣ ଅନୁକୋଣରେ ଏମିତି କେତେ ହଜାର ସୁଲଳିତାଙ୍କ ସ୍ବପର ବାଲିଘର ଭାଙ୍ଗୁନଥିବ ତା’ କିଏ କହିପାରିବ ? ଏଇ ଓଡ଼ିଆ ମାଟିରୁ ଯାଇ ଦୂର ବିଦେଶରେ ନିଜର ସ୍ଵପ୍ନର ସୁଉଚ୍ଚ ମିନାର ଗଢିଥିବା ସେଇ ପ୍ରବାସୀ ମାନଙ୍କ ଭିଡ଼ ଭିତରୁ ହୁଏତ ଆପଣ ଜଣେ ହୋଇପାରନ୍ତି । ତେବେ ଆପଣଙ୍କ ଆଖିରେ ସୁଦାମ ସାହୁଙ୍କ ସେଇ ସ୍ଵପ୍ନ ଟିକକ ନାହିଁ ତ ?