ଚେତନା : ଶିକ୍ଷା ଓ ସମ୍ଭାବନାର ନୂଆ ଠିକଣା
ଚେତନା-ଆଭେତି ଲର୍ଣ୍ଣିଂ ସେଣ୍ଟର୍ । ସୋନ୍ପୁର୍ରେ ପ୍ରତିଷ୍ଠିତ ଆଭେତି ଲର୍ଣ୍ଣିଂର ଡ଼ିଜିଟାଲ୍ ଶିକ୍ଷାନୁଷ୍ଠାନ । ଲେହେଡ଼ିର ପ୍ରସିଦ୍ଧ ସମାଜସେବୀ, ଶିକ୍ଷକ ତଥା ସୁଲେଖକ ଶ୍ରୀ କପିଳେଶ୍ୱର ପ୍ରସାଦ ମହାପାତ୍ରଙ୍କ ଯୋଗ୍ୟ ପୁତ୍ରମାନଙ୍କ ଦ୍ୱାରା ସଂସ୍ଥାପିତ ତଥା ପରିଚାଳିତ ଚେତନା ସେଣ୍ଟର୍ରେ ଦିଆଯାଉଛି ଆଭେତି ଲର୍ଣ୍ଣିଂ ପ୍ରସ୍ତୁତ ଡ଼ିଜିଟାଲ୍ ପାଠ୍ୟକ୍ରମ । ସମାଜସେବା ଓ ମାନବ କଲ୍ୟାଣରେ ମନୋନିବେଶ କରିଥିବା ଶ୍ରୀ କପିଳେଶ୍ୱର ପ୍ରସାଦ ମହାପାତ୍ର ୧୯୯୮ ମସିହାରେ ଆରମ୍ଭ କରିଥିଲେ Chetana Charitable Trust । ଯେଉଁ ଅନୁଷ୍ଠାନର ଆନୁକୂଲ୍ୟରେ ସେ ପ୍ରଥମେ ଗଢ଼ିଥିଲେ ଏକ ବୃଦ୍ଧାଶ୍ରମ, ଲେହେଡ଼ି ଗ୍ରାମର ପଚାଶରୁ ଉର୍ଦ୍ଧ୍ୱ ବାସିନ୍ଦାଙ୍କ ପାଇଁ ପ୍ରତ୍ୟହ ଆୟୋଜନ କରୁଥିଲେ ରନ୍ଧାଖାଦ୍ୟର ବ୍ୟବସ୍ଥା ଏବଂ ପରେପରେ ପ୍ରତିଷ୍ଠା କରିଥିଲେ ଏକ ସୁଲଭ ସ୍ୱାସ୍ଥ୍ୟକେନ୍ଦ୍ର, ଯାହାର ନାମ ତାଙ୍କ ଯୋଗ୍ୟ ପୁତ୍ରମାନେ ରଖିଥିଲେ ‘Kapileswar Charitable Hospital’ । ତେବେ କପିଳେଶ୍ୱରଙ୍କର ଦୃଢ଼ ଧାରଣା ଥିଲା ମଣିଷ ଜୀବନର ଉନ୍ନତି, ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି ଦ୍ୱାରା ହିଁ ସମ୍ଭବ । ‘ଶଲା ବୁଢ଼ା’, ‘ଆଦିମ ବିଚାର’ ଏବଂ ‘ଶଲା ବୁଢ଼ାର ବଦ୍ଲା’ ପରି ବାସ୍ତବବାଦୀ ସିନେମା ନିର୍ମାଣ କରି ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଥିବା ଜଣାଶୁଣା ଫିଲ୍ମ ନିର୍ମାତା ସବ୍ୟସାଚୀ ମହାପାତ୍ର ଓ ତାଙ୍କର ଅନ୍ୟ ଯୋଗ୍ୟ ଭାଇ ସୁଶାନ୍ତ ମହାପାତ୍ର, ମଣ୍ଟୁ ମହାପାତ୍ର ଏବଂ ଚିଣ୍ଟୁ ମହାପାତ୍ର, ବାପା କପିଳେଶ୍ୱରଙ୍କର ଏ ସ୍ୱପ୍ନକୁ ସାକାର କରିବାକୁ ଏକଜୁଟ ହୋଇଥିଲେ । ସ୍ୱାସ୍ଥ୍ୟର ତ ବ୍ୟବସ୍ଥା ହୋଇସାରିଥିଲା, ଏବେ ପାଳି ଥିଲା ଶିକ୍ଷାର । ଗ୍ରାମର ପିଲାମାନଙ୍କର ବୌଦ୍ଧିକ ବିକାଶ ନିମନ୍ତେ ଚେତନା ଟ୍ରଷ୍ଟ ତରଫରୁ ଖୋଲାଯାଇଥିଲା ସ୍ଥାନେ ସ୍ଥାନେ ଶିକ୍ଷାକେନ୍ଦ୍ର ଓ ସେମାନଙ୍କ ପାଇଁ କରାଯାଇଥିଲା ରନ୍ଧାଖାଦ୍ୟର ବ୍ୟବସ୍ଥା ।
ଗାଁର ପିଲାମାନଙ୍କୁ ଆଧୁନିକ ଯୁଗର ନୂତନ ଶୈଳୀର ପାଠପଢ଼ା ଯୋଗାଇଦେବା ପାଇଁ ଓ ପିଲାଙ୍କର ବୈଷୟିକ ଉନ୍ନତି କରିବା ପାଇଁ ଚେତନା ଚାରିଟେବଲ୍ ଟ୍ରଷ୍ଟ୍ ପହଞ୍ଚିଥିଲା ଆଭେତି ଲର୍ଣ୍ଣିଂ ନିକଟରେ ଏବଂ ଫେବୃୟାରୀ ୨୧ ୨୦୨୨ରେ, ଲେହେଡ଼ି ଗ୍ରାମରେ ସୁରୁଖୁରୁରେ ଆରମ୍ଭ ହୋଇଥିଲା ଡ଼ିଜିଟାଲ୍ ଶିକ୍ଷାଦାନ। ଆଭେତି ଲର୍ଣ୍ଣିଂର ଉଚ୍ଚତର ବୈଷୟିକ ଶିକ୍ଷାଦାନ ବ୍ୟବସ୍ଥା ଓ ନିଖୁଣ ପର୍ଯ୍ୟବେଷଣ ପ୍ରଣାଳୀ ଏବଂ ଚେତନା ଟ୍ରଷ୍ଟ୍ର ସମୟାନୁପଯୋଗୀ ପଦକ୍ଷେପ ସହାୟତାରେ ଆଜି ଦୁଇଟି ଚେତନା ଲର୍ଣ୍ଣିଂ ସେଣ୍ଟର୍ରେ ସଂସ୍ଥାପିତ ହୋଇପାରିଛି ଆଭେତି ସ୍ମାର୍ଟ୍ କ୍ଲାସ୍ । ଦୁଇଟି ସ୍ମାର୍ଟ୍ କ୍ଲାସ୍ ମଧ୍ୟରୁ ଲେହେଡ଼ି ଗ୍ରାମରେ ଥିବା ସେଣ୍ଟର୍ରେ ୩୬ ଜଣ ପିଲା ଏବଂ ବିଦୁରପାଲି ସେଣ୍ଟର୍ରେ ୫୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସମସ୍ତ ବିଷୟଗୁଡ଼ିକୁ ଟିକିନିଖି ବୁଝାଇଦେବା ପାଇଁ ପ୍ରତିଷ୍ଠିତ ଶିକ୍ଷକମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ଏହି ଦୁଇ ଚେତନା-ଆଭେତି ସେଣ୍ଟର୍ ବ୍ୟତୀତ ଘମଡ଼ିଆପାଲି ଗ୍ରାମରେ ମଧ୍ୟ ଅନ୍ୟ ଏକ ସ୍ମାର୍ଟ୍ କ୍ଲାସ୍ ସଂସ୍ଥାପନ କରାଯିବା ପାଇଁ କାର୍ଯ୍ୟ ଚାଲୁରହିଛି । ଖାଲି ଯେ ଉନ୍ନତ ମାନର ଭିଡ଼ିଓ ଓ ଆସେସ୍ମେଣ୍ଟ୍ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି ତାହା ନୁହେଁ, ଚେତନା-ଆଭେତି ସେଣ୍ଟର୍ ଗୁଡ଼ିକରେ ପିଲାମାନଙ୍କର ପ୍ରତ୍ୟେକ ଛୋଟବଡ଼ ସନ୍ଦେହ ଓ ସଂଶୟର ମଧ୍ୟ ସମାଧାନ କରାଯାଉଛି । ଏହି କାର୍ଯ୍ୟ ପାଇଁ ଲେହେଡ଼ି ଓ ବିଦୁରପାଲି ସେଣ୍ଟରରେ ଆଭେତି ପକ୍ଷରୁ ନିଯୁକ୍ତ ହୋଇଛନ୍ତି ଶ୍ରୀ ଶୁଭମ୍ । ଶୁଭମ୍ ପ୍ରତ୍ୟହ ସେଣ୍ଟର୍ ଗୁଡ଼ିକରେ ପହଞ୍ଚି ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀବୃନ୍ଦଙ୍କୁ ଆବଶ୍ୟକୀୟ ସାହାଯ୍ୟ ଯୋଗାଇ ଦେଉଛନ୍ତି । ନିକଟ ଭବିଷ୍ୟତରେ ଆଭେତି ଲର୍ଣ୍ଣିଂ ତରଫରୁ ଚେତନା ଟ୍ରଷ୍ଟ୍ର ସହଭାଗିତାରେ ୩୦ରୁ ଉର୍ଦ୍ଧ୍ୱ ଲର୍ଣ୍ଣିଂ ସେଣ୍ଟର୍ ଖୋଲାଯିବାକୁ ସ୍ଥିର କରାଯାଇଛି ।