“ଚାକିରି କରିବାକୁ ନୁହେଁ, ଚାକିରି ଦେବାକୁ ଚାହେଁ”- ଚିନ୍ମୟ
“ଇଚ୍ଛା ଥିଲେ ସୁଯୋଗ ଆପେ ଆପେ ଆସେ” — ଏଇ ଧାଡ଼ିଟି ଶୋଭାପାଏ ଚିନ୍ମୟଙ୍କ ଉପରେ । ଚିନ୍ମୟ ମାଝୀ । ସୁଦୂର ବରଗଡ଼ ଜିଲ୍ଲାର ହାଲୁପାଲି ଗାଁରେ ଚିନ୍ମୟଙ୍କ ଜନ୍ମ, ଯୋଉଠି ବଡ଼ ହୁଅନ୍ତି ଓ ପାଠ ପଢ଼ା ଜାରି ରଖନ୍ତି ଚିନ୍ମୟ । ବାପା କିଶୋର ଚନ୍ଦ୍ର ଚାଷବାଷ କଥା ବୁଝୁଥିଲା ବେଳେ ମା’ ପୁଷ୍ପାଞ୍ଜଳୀ ସମ୍ଭାଳନ୍ତି ରୋଷେଇ ଘର । ଗାଁରୁ ୪୦ କିଲୋମିଟର୍ ଦୂରରେ ଥିବା ବାଞ୍ଜିପାଲି ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହି ଷଷ୍ଠ ଶ୍ରେଣୀରୁ ପାଠ ପଢ଼ିଆସୁଛନ୍ତି ଚିନ୍ମୟ । ଓଡ଼ିଶାର ଲକ୍ଷାଧିକ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ଅଭାବ ଅସୁବିଧା ଏକ ସବୁଦିନିଆ ଗହଣା । ଚିନ୍ମୟଙ୍କ ପରିବାର ଏଥିରୁ କେମିତି ବାଦ ପଡ଼ନ୍ତେ ଭଲା !
କିନ୍ତୁ ଏ ସମସ୍ତ ଗତାନୁଗତିକତା ମଧ୍ୟରେ ଚିନ୍ମୟ ଜଣେ ବ୍ୟତିକ୍ରମ ଓ ବିସ୍ମୟ । ତାଙ୍କୁ ଫରକ ପକାଏନା ଅଭାବର କହୁଣୀ ମାଡ଼ କିମ୍ବା ଗାଁ ଗହଳିର ଯାବତୀୟ ଅସୁବିଧା । ପାଠ ପଢ଼ିବା ଓ ନିଜ ବ୍ୟକ୍ତିଗତ କ୍ଷମତାର ସମ୍ପୂର୍ଣ୍ଣ ସଦୁପଯୋଗ କରିବା ହେଉଛି ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି କହନ୍ତି ଚିନ୍ମୟ । ଯେତେବେଳେ କରୋନା ମହାମାରୀ ସମଗ୍ର ବିଶ୍ୱକୁ ଗ୍ରାସ କରିଥିଲା, ସେତେବେଳେ ଚିନ୍ମୟ କିନ୍ତୁ ଲାଗିପଡ଼ିଥିଲେ ଭିନ୍ନ ଏକ କଳାତ୍ମକତାରେ । ୟୁଟ୍ୟୁବ୍ରୁ ଦେଖି ଓ ଅନ୍ୟ ଶିକ୍ଷକମାନଙ୍କୁ ପଚାରି ସେ ଶିଖିଥିଲେ ଆର୍ଡ଼ୁଇନୋ ଟେକ୍ନୋଲୋଜି (Arduino Technology) ଏବଂ ତିଆରି କରିଥିଲେ ଏକ ନୂଆ ଡ଼ିଭାଇସ୍ । ଏହି ଡ଼ିଭାଇସ୍ ଲୋକମାନଙ୍କୁ କୋଭିଡ଼୍ ମହାମାରୀରୁ ରକ୍ଷା ପାଇବା ପାଇଁ ସତର୍କ ସୂଚନା ଦେବ ବୋଲି ଦୃଢ଼ୋକ୍ତି କରନ୍ତି ଚିନ୍ମୟ । ଦେଖନ୍ତୁ ତ, କେତେ ଦୃଢ ମନୋବଳ ଏବଂ ଉଡ଼ାଣଖୋର୍ ଚିନ୍ତାଧାରା ! ଯେଉଁଠି ବିଦ୍ୟୁତ୍ ସରବରାହ ସୁବିଧା ଓ ଦୁଇଓଳି ଖାଇବାର ବନ୍ଦୋବସ୍ତ କରିବା ଏକ ନିତିଦିନିଆ ଯୁଦ୍ଧ, ସେଇଠି ଚିନ୍ମୟ ଏସବୁକୁ ଖାତିର୍ ନକରି ତିଆରୁଛନ୍ତି ମେସିନ୍ ।
ଚିନ୍ମୟଙ୍କ ଭାଷାରେ, ସେ ଚାକିରି କରିବା ବାଲା ନୁହେଁ, ବରଂ ଚାକିରି ଦେବା ବାଲା ହେବାକୁ ଚାହାଁନ୍ତି । ଆପଣ ଭାବୁଥିବେ ଏ ଭାବ, ଭାଷା ଏବଂ ମାନସିକତା କେବଳ ଜଣେ ଉଦ୍ୟୋଗୀର ହିଁ ହୋଇପାରେ । ହଁ ଭବିଷ୍ୟତରେ ଜଣେ ସଫଳ ଉଦ୍ୟୋଗୀ ବା ଏଣ୍ଟର୍ପ୍ରିନ୍ୟୁୟର୍ ହେବାକୁ ମନସ୍ତ କରିଛନ୍ତି ଚିନ୍ମୟ ଏବଂ ଏଥି ସକାଶେ ଯାହା ଯାହା ଉଦ୍ୟମ ଓ ପନ୍ଥା ଆବଶ୍ୟକ ସେସବୁକୁ ମଧ୍ୟ ଖୁସିରେ ଆଦରି ନେବକୁ ପଣ କରିଛନ୍ତି । ଆମେମାନେ ପୁଣି ଫେରିବା ସେଇ ପୁରୁଣା ଧାଡ଼ିକୁ — ଇଚ୍ଛା ଥିଲେ ସୁଯୋଗ ଆପେ ଆପେ ଆସେ । ଚିନ୍ମୟ ପ୍ରଥମେ ଆଭେତି ଲର୍ଣ୍ଣିଂ ଆପ୍ ମାଧ୍ୟମରେ ଘରେ ରହି ପାଠ ପଢ଼ୁଥିଲେ ଏବଂ ତା’ ସହିତ ଆଭେତି ତରଫରୁ ପ୍ରଦତ୍ତ ଅନ୍ୟ ସୁବିଧା ଯେପରିକି ‘ଆଭେତି ଗେଷ୍ଟ୍ ଲେକ୍ଚର୍’ ଏବଂ ‘ଆଭେତି ସ୍ପୋକେନ୍ ଇଂଲିଶ୍ କ୍ଲାସ୍’ ମଧ୍ୟ ତାଙ୍କ ପାଇଁ ଉପଲବ୍ଧ ଥିଲା । ଚିନ୍ମୟ ଆଭେତି ଲର୍ଣ୍ଣିଂ ଜରିଆରେ ନୂଆ ନୂଆ ବ୍ୟକ୍ତିତ୍ୱଙ୍କ ସହ ମିଶିଲେ ଓ ଅଧିକରୁ ଅଧିକ ଜ୍ଞାନ ଆହରଣ କଲେ । ତେବେ ତାଙ୍କର ପ୍ରବଳ ଇଚ୍ଛା ଓ ମନୋବଳକୁ ପରଖିଥିଲା ଆଭେତି ଏବଂ ତାଙ୍କ ସ୍ୱପ୍ନଭୁକ୍ ଚିନ୍ତାଧାରାକୁ ଅର୍ଖ ନୂଆ ଡ଼େଣା ହଳେ ଦେବାକୁ ମନସ୍ଥ କରିଥିଲା । ଅଷ୍ଟମ ଶ୍ରେଣୀ ପରୀକ୍ଷା ଦେଇସାରିବା ପରେ ଏବେ ଚିନ୍ମୟ ଆସି ପହଞ୍ଚିଛନ୍ତି ଆଭେତି ଲର୍ଣ୍ଣିଂର ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ । ସେଠାରେ ରହି ସେ ସଫ୍ଟୱେୟାର୍ ଟେକ୍ନୋଲୋଜି, ବିଶେଷ କରି କୋଡ଼ିଂ ବିଷୟରେ ତାଲିମ୍ ଗ୍ରହଣ କରୁଛନ୍ତି । ଚିନ୍ମୟଙ୍କୁ ଏହି ତାଲିମ୍ ପ୍ରଦାନ କରୁଛନ୍ତି ଆଭେତି ଲର୍ଣ୍ଣିଂର ସଫ୍ଟୱେୟାର୍ ପରିଚାଳକ ତଥା ସୁଯନ୍ତ୍ରୀ ଶୁଭେନ୍ଦ୍ର କୁଶ୍ୱାହା । ଶୁଭେନ୍ଦ୍ରଙ୍କର ସଠିକ୍ ଓ ଉନ୍ନତିମୂଳକ ସହଯୋଗ ପାଇ ଚିନ୍ମୟ ଏବେ ‘ପାଇଥନ୍’ ନାମକ ଏକ ଉଚ୍ଚ-ସ୍ତରୀୟ ପ୍ରୋଗ୍ରାମିଂ ଲାଙ୍ଗୁଏଜ୍ ଶିଖୁଛନ୍ତି । ଏହିପରି ବୈଷୟିକ ଶିକ୍ଷାରେ ମନୋନିବେଶ କରିବା, ନୂଆ ନୂଆ କଥାର ଆବିଷ୍କାର କରିବା ତଥା ନିଜ ଭବିଷ୍ୟତକୁ ନିଜେ ମାଜିମୁଜି ଉଜ୍ଜ୍ୱଳ କରିବା ଚିନ୍ମୟଙ୍କଠୁ ଅଧିକା କିଏ ଜାଣିବ !
ଆମେ ଚାହୁଁ ଏ ପ୍ରେରଣାଦାୟୀ ଜୀବନଶୈଳୀ ଓ ଅବଲମ୍ବନ ଏଇଠି ଅଟକି ନଯାଉ । ଶିକ୍ଷା ଓ ପ୍ରତିଭାର ଏ କଳକଳ ଝରଣା ବହିଯାଉ ଅନନ୍ତ ଦୂରକୁ । ଖାଲି ଚିନ୍ମୟ କାହିଁକି, ଓଡ଼ିଶାର ସବୁ ପ୍ରତିଭାଙ୍କୁ ମିଳୁ ସୁଯୋଗର ଶାଗୁଆ ଅଙ୍କୁରୋଦ୍ଗମ୍ । ଆପଣମାନେ ମଧ୍ୟ ସାମିଲ୍ ହୁଅନ୍ତୁ ଆଭେତି ଲର୍ଣ୍ଣିଂର ଏହି ଅଭିନବ ଅନ୍ୱେଷଣରେ । କିଏ ଜାଣେ, ହୁଏତ କାଲି ସକାଳର ସୂର୍ଯ୍ୟୋଦୟ ହୋଇ ଆଉ ଜଣେ ଚିନ୍ମୟ ଉଠିଆସିବ, ପ୍ରତିଘାତର ସବୁ ଅଙ୍କାବଙ୍କା ପାହାଡ଼ ଦେଇ !